Unknown

 

 

 

 

 

 

 

 

 

ପ୍ରଭାତ-କୁସୁମ

ଗୋଦାବରୀଶ ମହାପାତ୍ର

 

ଉତ୍ସର୍ଗ

 

ମୋର ଜନ୍ମଭୂମିର ସୁସନ୍ତାନ, ବାଣୀ-ଭକ୍ତ, ପୂଜ୍ୟପାଦ କୈଶୋର-ଗୁରୁ ଶ୍ରୀଯୁକ୍ତ ଗୋଦାବରୀଶ ମିଶ୍ର, ଏମ୍‌.ଏ., ବି.ଟି., ମହୋଦୟଙ୍କ ପବିତ୍ର କର କମଳରେ ଜୀବନପ୍ରଭାତର ଏ ନବ-କୁସୁମଟି ଭକ୍ତି ଓ ପ୍ରୀତିରେ ଅର୍ପଣ କଲି ।

 

 

ପ୍ରଣତ

 

ଗୋଦାବରୀଶ

 

କୃତଜ୍ଞତା

 

ଉପସ୍ଥିତ ପୁସ୍ତିକା ‘ପ୍ରଭାତ-କୁସୁମ’ ଆଜକୁ ପ୍ରାୟ ଦୁଇ ବର୍ଷ ଆଗେ ଲେଖିଥିଲି । ନାନା ଘଟଣାର ପ୍ରତିକୂଳରେ ପଡ଼ି ପ୍ରକାଶ କରିବାପାଇଁ ତେତେ ଇଚ୍ଛା ନ ଥିଲା । ଭାଗ୍ୟକ୍ରମେ ମାନନୀୟ ବାବୁ ରତ୍ନାକର ପତି, ଏମ୍‌.ଏ. ଓ ବାବୁ ଚନ୍ଦ୍ରମୋହନ ମହାରଣା ବି.ଏ. ପୁସ୍ତିକାଟିର ପାଣ୍ଡୁଲିପି ଦେଖିଥିଲେ ଏବଂ ସ୍ଥାନବିଶେଷରେ ଭୁଲ ସଂଶୋଧନ କରି ମୋତେ ଯେଉଁ ସୂଚନା ଓ ପରାମର୍ଶ ଦେଇଅଛନ୍ତି, ସେଥିସକାଶେ ମୁଁ ସେମାନଙ୍କ ନିକଟରେ ହୃଦୟର କୃତଜ୍ଞତା ଜଣାଉଅଛି । ତତ୍ପରେ ସତ୍ୟବାଦୀ ସ୍କୁଲର ପ୍ରଧାନ ଅଧ୍ୟାପକ ଶ୍ରୀଯୁକ୍ତ କୃପାସିନ୍ଧୁ ମିଶ୍ର, ଏମ୍‌.ଏ.ଙ୍କ ଦ୍ୱାରା ପୁସ୍ତକ-ପ୍ରକାଶରେ ଉତ୍ସାହିତ ହୋଇଥିବାରୁ ମୁଁ ନିଜକୁ ଧନ୍ୟ ମଣିଛି ।

 

କୁମାରାଙ୍ଗ ଶାସନ, ବାଣପୁର

ଗୋଦାବରୀଶ

ଧନୁ ଦି୧୦ନ, ୧୩୨୭ ସାଲ

 

 

ଅଭିମତ

 

ଶ୍ରୀମାନ୍‌ ଗୋଦାବରୀଶ ମହାପାତ୍ରଙ୍କ ରଚିତ ‘ପ୍ରଭାତ-କୁସୁମ’ କବିତା ପୁସ୍ତିକା ଖଣ୍ଡିକ ପାଠକରି ମୁଁ ଅତିଶୟ ପ୍ରୀତ ହେଲି । କବିତାଗୁଡ଼ିକର ଭାଷା ଅତିଶୟ ସୁନ୍ଦର ଏବଂ ଭାବ ସାଧାରଣତଃ ଉତ୍କୃଷ୍ଟ । ଅଧ୍ୟବସାୟୀ ହେଲେ ଏହି ବାଳକ-କବି ସମୟରେ କବି-ସମାଜରେ ଉଚ୍ଚାସନ ପ୍ରାପ୍ତ ହୋଇପାରିବେ ।

 

କଟକ,

ଶ୍ରୀ ଚନ୍ଦ୍ରମୋହନ ମହାରଣା

୧୬ । ୧୧ । ୧୯୧୮

ହେଡ଼ମାଷ୍ଟର, କଟକ ଟ୍ରେନିଂ ସ୍କୁଲ

 

ଶ୍ରୀମାନ୍ ଗୋଦାବରୀଶ ମହାପାତ୍ର ସତ୍ୟବାଦୀ ସ୍କୁଲର ଜଣେ ଛାତ୍ର । ତାହାଙ୍କର କବିତାନୁରାଗର ପରିଚୟ ମୁଁ ନାନା ଘଟଣାରେ ପାଇଅଛି । ସେ ମୋର ଛାତ୍ର ଏବଂ ଜୀବନର ପ୍ରାୟ ପ୍ରଥମାବସ୍ଥାରେ ସେ ଅଛନ୍ତି । ସାହିତ୍ୟ-କ୍ଷେତ୍ରରେ ଦେଖାଯାଇଅଛି, ଅନେକ ଛାତ୍ର-କବି ଭବିଷ୍ୟତ ଜୀବନରେ ସେପରି ଆଶାନୁରୂପ କୃତିତ୍ୱ ଦେଖାଇପାରିନାହାନ୍ତି । ସୁତରାଂ, ଗୋଦାବରୀଶଙ୍କ ଜୀବନର ବର୍ତ୍ତମାନ ବିକାଶ ଅବସ୍ଥାରେ ତାଙ୍କ ଭାବୀ କବିତ୍ୱ ସମ୍ବନ୍ଧରେ ମତ ବ୍ୟକ୍ତ କରିବା ନିରାପଦ ନୁହେଁ; ତେବେ, ତାହାଙ୍କ ଲେଖାବଳୀର କବିତ୍ୱ ଯେ କ୍ରମଶଃ ବିକାଶ ପାଉଅଛି; କହିବା ବାହୁଲ୍ୟମାତ୍ର ।

 

ଉପସ୍ଥିତ ପୁସ୍ତିକା ‘ପ୍ରଭାତ-କୁସୁମ’ ଅବଶ୍ୟ ଆଶାପ୍ରଦ । ଯଦି କ୍ଷୁଦ୍ର କ୍ଷୁଦ୍ର କବିତାବଳୀରୁ କିଛି ଶିଖିବାର ଥାଏ, ତାହାହେଲେ ‘ପ୍ରଭାତ-କୁସୁମ’ ସେ ବିଷୟରେ ଉପାଦେୟ । ଭାଷା ଯେପରି ସରଳ, ଭାବ ମଧ୍ୟ ସେହିପରି ସୁବୋଧ୍ୟ । ପ୍ରାଇମେରୀ ବିଦ୍ୟାଳୟମାନଙ୍କରେ ପାଠ୍ୟ ପୁସ୍ତକ ନିମନ୍ତେ ଏହା ମନୋନୀତ ହୋଇପାରେ ।

 

ସତ୍ୟବାଦୀ

ଶ୍ରୀ କୃପାସିନ୍ଧୁ ମିଶ୍ର

୭ । ୮। ୧୯

ହେଡ଼ମାଷ୍ଟର, ସତ୍ୟବାଦୀ ସ୍କୁଲ

 

ମୁଁ ଶ୍ରୀମାନ୍‌ ଗୋଦାବରୀଶ ମହାପାତ୍ରଙ୍କର ‘ପ୍ରଭାତ କୁସୁମ’ ପଢ଼ିଅଛି । ସ୍ଥାନେ ସ୍ଥାନେ କେତେକ ଦୋଷ ପରିଦୃଷ୍ଟ ହେଲେହେଁ ପୁସ୍ତିକାଟି ଲେଖକଙ୍କ କବିତ୍ୱର ଆଭାସ ଦେଉଅଛି ଏବଂ ସେହି କେତୋଟି ଦୋଷ ପରିମାର୍ଜିତ ହେଲେ ସେଥିରେ ଥିବା ପଦ୍ୟଗୁଡ଼ିକ ଉପାଦେୟ ବୋଲି ବିବେଚିତ ହେବ । ଲେଖକଙ୍କୁ ଛାତ୍ରାବସ୍ଥାରୁ ସାହିତ୍ୟାନୁରାଗୀ ଦେଖି ମୁଁ ବଡ଼ ଆନନ୍ଦିତ ହୋଇଅଛି ଓ ‘ପ୍ରଭାତ-କୁସୁମ’ରେ କେତେଗୁଡ଼ିଏ ସୁନ୍ଦର ଭାବ ପାଇଁ ତାହା ଉତ୍କଳର ସାହିତ୍ୟ ପୁସ୍ତକମାନଙ୍କ ମଧ୍ୟରେ ଗୋଟିଏ ଉତ୍କୃଷ୍ଟ ସ୍ଥାନ ପାଇବ ବୋଲି ଆଶା କରେଁ । ଏପରି ପୁସ୍ତକ ମଧ୍ୟ ଦେଶରେ ଗୋଟିଏ ପାଠ୍ୟ ପୁସ୍ତକ ରୂପରେ ଗୃହୀତ ହେଲେ ବୋଧହୁଏ କେହି ଆପତ୍ତି କରିବେ ନାହିଁ ।

 

ଲେଖକ ମଧ୍ୟ ‘ବାଣପୁର’ ନାମକ ଗ୍ରନ୍ଥର ରଚୟିତା ଏବଂ ଏହି ଗ୍ରନ୍ଥର ପାଠକମାନେ ତାଙ୍କର କବିତ୍ୱର ସମ୍ୟକ୍‌ ପରିଚୟ ପାଇଥିବେ ।

 

Cuttack

ରତ୍ନାକର ପତି

25.2.19

Lecturer in Philosophy,

 

Ravenshaw College, Cuttack

 

ଉଷା

 

ବିମଳ ତାରକିତ ପ୍ରାଚୀ କପୋଳେ

ନିସର୍ଗ ରଙ୍ଗେ ଶୋଭା-ତରଙ୍ଗ ଦୋଳେ;

ପ୍ରସରେ ସରୋବରେ କମଳ ହାସ

ଯତି ଉଦାର-ହୃଦେ ପ୍ରୀତି ସଂକାଶ ।।

 

ଦେଖି ଗଗନଦ୍ୱାରେ ଜ୍ୟୋତି ନିଳୟ

ନସର୍ଗ ରୁଚି ବର୍ଣ୍ଣ ବିଚିତ୍ରମୟ,

ତରୁ ଗହଳେ କାକ ରାବେ ସର୍ବଥା

ମନସ୍ୱୀ ହୃଦେ ଉଦେ ବିବେକ ଯଥା ।।

 

ବାଳୁତ ରବି ହେମ-ମୟୂଖମାଳେ

ତେଜି ଯାମିନୀ-ବାସ ଘୋର ତିମିରେ,

ଲୁଚିଲେ ନୀଳାକାଶେ ତାରକାମାଳ

ଆତ୍ମ-ଦର୍ଶନେ ମର ଆଶା ପ୍ରକାର ।।

 

ଗଗନେ ହେଲେ ବିଧୁ ପାଣ୍ଡୁରବର୍ଣ୍ଣ

ଦୁଃଖେ ନିୟତି କରେ ଲଭି ବନ୍ଧନ;

 

ମୁଦିଲା କୁମୁଦିନୀ ନୟନ ସରେ

ସତୀ-ଜୀବନ ସିନା ପତି-ପଦରେ ।।

 

ଗିରି, କାନନ, ତଟ, କୁଞ୍ଜ-ବିତାନେ

ପୂର୍ଣ୍ଣ ବିକାଶେ ପ୍ରେମ-ପୁଲକ ପ୍ରାଣେ,

ଶୋଭନ୍ତି ସୁପ୍ରଭାତେ କୁସୁମକୁଳ

ବୈରାଗ୍ୟ ପାଶେ କି’ବା ସୁଗୁଣ ଠୁଳ ?

 

ହେମ-ଭାସ୍ୱର-କୁସୁମିତ-ନିକୁଞ୍ଜେ

ବିମଳ ତାନେ ଉଷା-ବିହଗ କୂଜେ;

ଉଡ଼ିବୁଲନ୍ତି ପ୍ରଜାପତି ହରଷେ

ବିବୁଧେ ଯଥା କାବ୍ୟ-ବନ ଉରସେ ।।

 

କୁସୁମ ମକରନ୍ଦ ସଞ୍ଚିଲେ ଅଳି

ପ୍ରୀତି ପୁଲକେ ମଧୁ ତାନେ ଗୁଞ୍ଜରି,

ପ୍ରପଞ୍ଚ ମାୟା ମୋହେ ଲଙ୍ଘି ସନ୍ତତ

ପୁଣ୍ୟ ସଞ୍ଚୟେ ଯଥା ତପସ୍ୱୀ ରତ ।।

 

କୁସୁମ-ସୁରଭିତ ଉଷା-ସମୀରେ

ତଟ-ବିଟପୀ ଛବି ଖେଳାଇ ଉରେ,

 

ଦୋଳେ ସରସୀ ରଙ୍ଗେ ଚଳାଇ ବୀଚି

ପ୍ରଶାନ୍ତ ପ୍ରାଣେ କି’ସେ ପ୍ରେମ ମିଶିଛି ?

 

ସେ ବୀଚିମାଳେ ଫେଇ ଲୋହିତ-କାନ୍ତି

ଉର୍ଦ୍ଧ୍ୱ ବଦନେ ଶିଶୁ-କମଳ-ପନ୍ତି,

ଶୋଭନ୍ତି ଶୋଭା-ରାଜ୍ୟେ ଅସ୍ଫୁଟ ହାସେ

ଚିନ୍ମୟ ପ୍ରେମେ ସାଧୁ ତନ୍ମୟ କି’ସେ ?

 

ବୀଚି ପଡ଼ଇ ଲୋଟି ପଙ୍କଜଦଳେ

ଆକ୍ରମେ ଭକ୍ତେ ଯଥା ମାୟା କୈାଶଳେ;

ମାତ୍ର ନ ଲାଗେ ତହିଁ ତିଳେହେଁ ଜଳ

ନିର୍ଲିପ୍ତ ସାଧୁ ହୃଦ ତଥା ନିର୍ମଳ ।।

 

ନିର୍ଝର

 

ନିକୁଞ୍ଜ ବିଚ୍ଛୁରିତ ଗିରି-ନିତମ୍ବେ

ପ୍ରାବୃଟେ ଯହିଁ ଚଳ-ଜଳଦ ଚୁମ୍ବେ

ଝରେ ଗମ୍ଭୀର ନାଦେ ଝର ସନ୍ତତ

ମୁମୁକ୍ଷୁ ଚିତ୍ତେ ଯଥା ପ୍ରେମ ଶାଶ୍ୱତ ।।

 

ଆଲିଙ୍ଗି ଶିଳା-ଅଙ୍ଗ ପୁଲକେ ନିତି

ମଧୁ ସଙ୍ଗୀତେ ଲୋଳ-ତରଙ୍ଗତତି

ଖେଳନ୍ତି ଫେନ-ହାସେ ଉଚ୍ଛୁଳି ଉଚ୍ଚେ

ସରସ ଭକ୍ତି ସିନା ମୁକତି ସୂଚେ ।।

 

କୁଞ୍ଜ-କୁସୁମ-ମୟ ତଳପ ତଳ

ଲଙ୍ଘି ଅୟନେ ଭୀମ-କାନ୍ତ ଉପଳ,

ଧାବିତ ତରଙ୍ଗିଣୀ-ଦିଗେ ସର୍ବଥା

ମରଣ-ଦିଗେ ବିଶ୍ୱ-ଜୀବନ ଯଥା ।।

 

ଅଙ୍ଗ ତରଙ୍ଗେ ରଚି ରଜତ-ହାର

ଅରପେ ତୀରଦେଶେ ସ୍ନେହ-ସମ୍ଭାର;

 

 

 

 

ନ ରହେ ଭେଦାଭେଦ ଉଭ ଜୀବନେ

ପ୍ରେମ-ଉଚ୍ଛ୍ୱାସ ଯଥା ଆତ୍ମ-ଦର୍ଶନେ ।।

 

ଚିର ଶ୍ୟାମଳ ତଟ-ବିଟପୀ-ମାଳ-

ଅଙ୍ଗ କୁସୁମେ ଯହିଁ ନିତ୍ୟ ଉଜ୍ଜ୍ୱଳ

ବହୁ ନିର୍ଝର ! ତହିଁ ପୁଲକଭରେ

ବୈରାଗ୍ୟ ଗଙ୍ଗା କି’ସେ ସାଧୁ ଅନ୍ତରେ ?

 

ନୀର ସ୍ପରଶେ କାହିଁ ତପନ-କର

ଝଳେ ବାସବ ଧନୁ କିବା ସୁନ୍ଦର

ସ୍ତମ୍ଭ, ବେପଥୁ, ସ୍ୱେଦ, ଅଶ୍ରୁ ଯେସନ

ଯତି ଜୀବନେ ହୁଏ ପ୍ରତିପାଦନ ।।

 

ଗୈରିକ ସ୍ତର କାହିଁ ଚଳ-ସଲିଳ-

ପରଶମାତ୍ରେ କରେ ତନୁ ଆବିଳ,

ମୋହ ପରଶେ ଯଥା ସାତ୍ୱିକ ପ୍ରାଣ

ପଲକେ ହୋଇଯାଏ ପାପ-ନିଧାନ ।।

 

 

 

ଲତାଗହଳେ ବହେ ରଜତ ଧାର

ଭବ-କଳୁଷ-ପଙ୍କେ ମୁକ୍ତି ପ୍ରକାର;

କୁଟିଳା ଗତି ବହେ ଶିଳା ପ୍ରଭାବେ

ଯଥା ନିୟତି ଗତି ଅଟଇ ଭବେ ।।

 

ପ୍ରଦୋଷ

 

ବିଜେ କନକ ରବି ବାରୁଣୀ ଭାଲେ

ବର୍ଣ୍ଣ ବିଚିତ୍ର-ମୟ ମୟୁଖଜଳେ;

ଛାଇଲା ସ୍ୱର୍ଣ୍ଣ ପ୍ରଭା ଭୂଧର-ମଥା

ଧୃତି ବିକାଶେ ଦମ୍ଭୀ ମାନସ ଯଥା ।।

 

ବାସର-ଶଇଶବେ ଯେ ଛବି ଘନେ

ବିଳସୁ ଥିଲା, ଏବେ ବିଳସେ ବନେ;

ଫୁଟେ କୁସୁମ, କାହିଁ କୂଜେ ବିହଙ୍ଗ

ବିଭୁ-ବିଭବେ କି’ସେ ପୁଲକେ ଅଙ୍ଗ ?

 

କାହିଁ ତପନ, କାହିଁ ସରେ ନଳିନୀ

ହୃଦୟ ପ୍ରେମେ ସିନା କିଣା ଏ ବେନି ?

ଭାବୀ-ବିରହେ ଏବେ ଶୋଚଇ ସରେ

ପ୍ରେମ-ବନ୍ଧନ ଭବେ କି’ବା ନ କରେ ?

 

ରବି ଲୋହିତ କରେ ନୀରଦ ମାଳ

ହେଲେ ଲୋହିତ ବର୍ଣ୍ଣ ବନ, ପ୍ରାନ୍ତର;

 

 

ମହତେ ଆଶ୍ରିଥିଲେ ଏପରି ଜନେ

ମହତ ବୋଲାନ୍ତିଟି ଭବ-ପ୍ରାଙ୍ଗଣେ ।।

 

ଶୀତଳୁଁ ହେଲା କ୍ରମେ ଶୀତଳତର

ନିଶି ଆଗମେ ଚଣ୍ଡ-ମିହିର କର;

ବନେ ମାତିଲେ ବନଚର ସର୍ବଥା

ନୃପତି-ହୀନ-ରାଜ୍ୟେ ଦୁରନ୍ତ ଯଥା ।।

 

ଶୁଭ୍ର ଆକାଶ ହେଲା ତମିସ୍ରମୟ

ପବିତ୍ର ହୃଦେ ଯେହ୍ନେ ପାପ ଉଦୟ;

ଶୋଭଇ ଶୁକ୍ର ନିଶି-ମସ୍ତକ-ମଣି

ମୋହାନ୍ଧକାରେ ଯଥା ବିବେକ ମଣି ।।

 

ଦେଖି ଗଗନେ ପତି ଉଦୟ ଲୀଳା

ମର୍ତ୍ତ୍ୟବାସିନୀ ଶଶିପ୍ରିୟା ସରଳା

ପ୍ରେମପୁଲକେ ଦେଲା ଅନ୍ତର ଫେଇ

ପ୍ରିୟ ସମ୍ପଦେ କେ’ବା ସୁଖୀ ନୁହଇ ?

 

ତେଜିଲେ ଉପବନ ମଧୁପକୁଳ

ମରନ୍ଦ-ମଦେ ଯେହୁ ଥିଲେ ଆକୁଳ;

 

 

ଏପରି ସିନା ଜନେ ବିଭବହୀନ

ହେଲେ, ତେଜନ୍ତି ସର୍ବେ ବିଚାରି ଦୀନ ।।

 

ଉଇଁଲେ ଗୋଟି ଗୋଟି ତାରକା ନଭେ

ବିଷୟୀପ୍ରାଣେ ଯଥା ଆଶା ପ୍ରଭବେ;

କ୍ଷଣେ ପୁଲକି କ୍ଷଣେ ଯାଆନ୍ତି ଲୁଚି

ଅବା ସେ ମର ନର ବିଭବ ସୁଚୀ ।।

 

ସମୀର ପାରାବାରେ ତନୁ ତରଣୀ

ଛାଡ଼େ ଉଲୁକ ଶୁଭ ନିମେଷ ମଣି;

ଭ୍ରମନ୍ତି ଚତୁର୍ଦ୍ଦିଗେ କ୍ଷୁଧିତ ପ୍ରାଣେ

ବିଷୟୀ ଜନେ ଯଥା ଆଶା ଗୋପନେ ।।

 

ଶିଶିର

 

କାଶ, କମଳ ହାସ ଲଙ୍ଘି ଜଗତେ

ପ୍ରବେଶ ଶୀତ ରମ୍ୟ ଶରତ ଅନ୍ତେ;

ବିକଶେ ବିଶ୍ୱପ୍ରାଣେ ରଜତ ଶିରୀ

ନିସର୍ଗ ପ୍ରେମେ ଯତିମାନସ ପରି ।।

 

ପ୍ରାବୃଟେ ଥିଲେ ଯେଉଁ ସଲିଳଧର

ଭୀମ ବିକାଶେ ଘୋଟି ମିହିର-କର

କାହିଁ ଚଳନ୍ତି ଶୁଭ ଅଙ୍ଗେ ଆକାଶେ

ସାରଲ୍ୟ ଯଥା ମାୟା ମାନସ ଶେଷେ ।।

 

କମଳହୀନ ଶୀତେ ହେବାରୁ ଜଳ

କୁମୁଦ ହେଲା ତା’ର ପୂରଣ ସ୍ଥଳ;

ସ୍ନେହ ତୁଟିଲେ ଯଥା ସାଧୁ ଅନ୍ତର

ବିରାଗ ଭାବ ହୁଏ ପ୍ରବଳତର ।।

 

କାହିଁ ଫୁଟନ୍ତି ରକ୍ତକୁମୁଦଚୟ

ଶ୍ୱେତ କୁମୁଦେ କରି ଅଲକ୍ତମୟ;

 

 

 

 

ସଜ୍ଜନ ସହ ବାସେ ଯଥା ଦୁର୍ଜ୍ଜନ

ଲଭଇ ତତ୍ତ୍ୱଜ୍ଞାନ ମହତ ଧନ ।।

 

ସର, ସରିତ ହେଲେ ଶୀର୍ଣ୍ଣ ଶରୀର

ବିତ୍ତହୀନ ଯଥା ବିଷୟୀ ନର;

ଫୁଟିଲେ ନୀଳୋତ୍ପଳ ପ୍ରକାଶି ପ୍ରଭା

ନାସ୍ତିକ ହୃଦେ ହରି ଭକ୍ତି କି ଅବା ?

 

ଶୀତ ସମୀରେ ଗଲା ଲୋମ ଟାଙ୍କୁରି

ପାପ-ପରଶେ ଯଥା ହୃଦୟ-ପୁରୀ,

କୁହୁଡ଼ି କଲା ଚତୁର୍ଦ୍ଦିଗ ବେଷ୍ଟନ

ସାତ୍ୱିକ ହୃଦେ ଯଥା ଭବ-କଷଣ ।।

 

ପଡ଼ଇ ଆକାଶରୁ ନିଶି କାକର

ବର୍ଷନ୍ତି ସୁଧା ଅବା ସୁଧା ଆକର;

ଧୂଳିଧୂସର ହେଲା ପଡ଼ି ଭୂତଳେ

ଅପାତ୍ରେ ସାଧୁ ଯଥା ବ୍ୟବହାରରେ ।।

 

 

ନୀତି-ମାଲ୍ୟ

 

ଅହିଂସା ପରମଧର୍ମ ବିଶ୍ୱ ମହିମାର

ଅହିଂସା ଜଗତ ଜନ ମୁକ୍ତି-ସ୍ୱର୍ଗଦ୍ୱାର ।

ଅହିଂସା ଅମର୍ତ୍ତ୍ୟ ନେତ୍ର ବିଶ୍ୱ ଦରଶନେ

ଅହିଂସା ଅମର୍ତ୍ତ୍ୟ ଶକ୍ତି ଦୂରିତଧର୍ଷଣେ ।।

 

ସବୁ ପଥ ମଧ୍ୟେ ସାର ଭକ୍ତିପୂତ ପଥ

ଗାନ ମଧ୍ୟେ ବିଭୁନାମ-ସଙ୍ଗୀତ ମହତ,

ତୃଷା ମଧ୍ୟେ ଶୁଭଙ୍କରୀ ବିଭୁଚିନ୍ତା-ତୃଷା

ରତ୍ନଗଣେ ବିଦ୍ୟାରତ୍ନ ନରଶିରୋଭୂଷା ।।

 

ଭକ୍ତି ଥିଲେ ଆନ ଗୁଣେ କି’ ବା ପ୍ରୟୋଜନ

ସତ୍ୟ ଯା’ର ମୂଳମନ୍ତ୍ର କି କରେ ଦୁର୍ଜନ,

ବିଦ୍ୟା ଅଟେ ଯେ ଜନର ଜୀବନ ସମ୍ବଳ

କରି କି ପାରଇ ତା’ର କ୍ଷତି ଧନବଳ ?

 

ଆଳସ୍ୟ, ମାର୍ଦବ, କ୍ରୋଧ, ଚିନ୍ତା, ନିଦ୍ରା, ଭୟ

କର୍ମକ୍ଷେତ୍ରେ ଅଟନ୍ତି ଏ ହଳାହଳମୟ,

 

 

 

 

 

ପଲକ ପ୍ରଶ୍ରୟେ ଏହୁ ହୃଦେ ରଚି ବାସ

କର୍ମ ସଙ୍ଗେ କରିଯାନ୍ତି ହୃଦୟ ବିନାଶ ।।

 

କୃତଘ୍ନ ଯେ ଜନ ତାର ଶରୀର ନରକ

ପଦେ ପଦେ ତା’ ବଚନ କଷଣଦାୟକ,

ନରକୁଳେ କଳଙ୍କ ସେ ହୀନ-ମତି ପାପୀ

କହେ ଯେ ବଚନ ଆତ୍ମ-ଗରିମାଦି ସ୍ଥାପି ।।

 

ଧନୀ ହୋଇ ହୁଏ ଯେବେ ନିଷ୍ଠୁର, କୃପଣ

ଜ୍ଞାନୀ ନ କରଇ ଯଦି ଜ୍ଞାନ ବିତରଣ,

ବୀର ଯଦି ନ କରଇ ବୀରୋଚିତ ରଣ

ଯୋଗ୍ୟ ସିନା ତାଙ୍କ ନାମେ ‘ପଶୁ’ ବିଶେଷଣ ।।

 

ବିପଦେ ପଡ଼ିଲେ ସାଧୁ ନୋହେ ମ୍ରିୟମାଣ

ବରଞ୍ଚ ଉଜ୍ଜ୍ୱଳି ଉଠେ ଶତଗୁଣେ ଜ୍ଞାନ,

ପ୍ରଦୀପ ଶଳାକା ଯଦି ହୁଅଇ ଘର୍ଷଣ

ଉଜ୍ଜ୍ୱଳି ଆଲୋକମୟ କରଇ ଭବନ ।।

 

ଅହିଂସା, ବିଶ୍ୱାସ, ପ୍ରେମ, ସତ୍ୟ, ବ୍ରହ୍ମଚର୍ଯ୍ୟ,

ମାନବ-ହୃଦୟ ପୂତ-ଅମର୍ତ୍ତ୍ୟ-ଐଶ୍ୱର୍ଯ୍ୟ;

ଧରଣୀ ମଣ୍ଡଳେ ନାହିଁ ଏମାନଙ୍କ ସମ

ହୃଦ ସଦ୍ୟଫଳ-ପ୍ରସୂ ବିଶ୍ୱେ ଅନୁପମ ।।

 

ପର ଉପକାର ଯେହୁ ସାଧନ୍ତି ସତତ

ତା’ର ଉପକାରେ ସଦା ଜଗତ ନିରତ;

ଦାନ କଲେ ସିନା ମିଳେ ବହୁଧନମାନ,

ତୈଳଦାନେ ଯଥା ଦୀପ କରେ ଜ୍ୟୋତି ଦାନ ।।

 

ପୁଷ୍ପାଞ୍ଜଳି

 

ପରପାଇଁ ଗଢ଼ା……………ମହତ ହୃଦୟ

ଦୟା, କ୍ଷମା ଉପାଦାନେ,

ଶତ ନୀରକଣା……………ଗଢ଼ିଥାନ୍ତି ସିନା

ଶୀତ-ଧାରା-ଭରା ଘନେ ।।

 

ଦୁଃଖର ତାଡ଼ନେ……………ପ୍ରୀତି ବଢ଼ିଥାଏ

ସୁଖ ପ୍ରତି ହୃଦୟର,

ଅନ୍ଧାର ନ ଥିଲେ……………ଆଲୋକର କିପାଁ

ହୁଅନ୍ତା ଏତେ ଆଦର ?

 

ସଂସାର-ଜଞ୍ଜାଳେ……………ଜଡ଼ି, ମହତର

ଗୁଣ ହୁଏ ନାହିଁ ହ୍ରାସ;

କଣ୍ଟକ-ଅଙ୍ଗିନୀ……………ହୋଇ କି କେତକୀ

ନ ବିତରେ ସୁଧା-ବାସ ?

 

 

 

 

 

ମହତ ମାନସେ……………ପ୍ରତିଫଳୁଥାଏ

ପର ଦୁଃଖ, ଶୋକ, ଚିନ୍ତା,

ଅଚ୍ଛୋଦ-ସରସୀ……………ତରଳ-ହୃଦୟେ

ତଟ ତରୁ ଛବି ଯଥା ।।

 

ଗୁଣୀ ଗଉରବ……………ଆପେ ଫୁଟି ହସେ

ଆମୋଦି ଅୟୁତ ପ୍ରାଣେ

ବନର ମାଳତୀ……………ବାସ ବରିବାକୁ

କେହି କି ଯାଆନ୍ତି ବନେ ?

 

ମହତ ମହିମା……………ବରିବାକୁ ଯୋଗ୍ୟ

ମହତ-ହୃଦୟାକାଶ

ସିନ୍ଧୁ ବିନା କେ’ବା……………ସମ୍ଭାଳିବ ତାର

ତରଳ-ତରଙ୍ଗୋଚ୍ଛ୍ୱାସ ?